Unknown

 

 

 

 

 

 

 

 

 

ବିଳାପ ଚଉତିଶା

ଶ୍ରୀ ଗୋପାଳକୃଷ୍ଣ ପଟ୍ଟନାୟକ

 

(କବିଙ୍କର ଏଇ ‘ବିଳାପ’ ଚଉତିଶାର ରୂପ ନେଇ ରଚିତ । ବୈଷ୍ଣବମାନେ ଶ୍ରୀକୃଷ୍ଣଙ୍କ ଅପେକ୍ଷା ଶ୍ରୀରାଧାଙ୍କ ସେବା ଅଭିଳାଷୀ । ଏ ପରିପ୍ରେକ୍ଷୀରେ କବି ଗୋପାଳକୃଷ୍ଣ କୃଷ୍ଣ ଅପେକ୍ଷା ଶ୍ରୀରାଧାଙ୍କ ସେବକଗଣକୁ ବଡ଼ ବୋଲି ପ୍ରକାଶ କରିଛନ୍ତି । ଯେମିତି- “ଏଡ଼େ ଭାଗ୍ୟ ମୋର ହେବକି, ହେବି ବୃନ୍ଦାବନେଶ୍ଵରୀ ସେବକୀ ?” ରାଧା ସ୍ୱୟଂ ଲକ୍ଷ୍ମୀ ସ୍ୱରୂପିଣୀ । ତାଙ୍କର ପାଦ ଦର୍ଶନରେ ଯୁଗଯୁଗର ପାପ ଧୌତ ହୋଇଯାଏ । ରାଧାଙ୍କୁ ନ ଦେଖି ଗୋପୀମାନେ ତାଙ୍କର ରୂପ, ଗୁଣ ସ୍ମରଣ କରି ବିଳାପ କରିଛନ୍ତି । ସୁନ୍ଦର, ସରଳ ଭାଷା- ଓଡ଼ିଆ ସାହିତ୍ୟ ଭଣ୍ଡାରର ଏକ ଉତ୍କୃଷ୍ଟ ଚଉତିଶା ।)

କୀର୍ତ୍ତିଦା ସୁତାଙ୍କ ରୂପ ଗୁଣ । କେ ସେ ଦାସୀ ଗୁଣି ପୁନଃପୁନଃ ।

କରଇ ବିଳାପ ରାସେଶ୍ୱରୀଙ୍କ ସେବା

ସୁଖ ନିକର କରି ସ୍ମରଣ ସେ । କିଙ୍କରୀ ।୧।

ଖଦ୍ୟୋତଜା ତଟ ନିକୁଞ୍ଜରେ । ଖଗ ନିନଦରୁ ନିଶାନ୍ତରେ ।

ଖଞ୍ଜନାକ୍ଷୀ ଆସୁ ଉଠି ପ୍ରିୟ ପାଶୁ

ଜଗିଥିବି ମୁଁ ଦ୍ୱାର ପାଶରେ ହେ । ସ୍ୱାମିନୀ ।୨।

ଗବାକ୍ଷ ଜାଳରେ ନେତ୍ର ଢାଳି । ଗଳି ଚାହୁଁ ଥିଲା ବେଳେ ଅଳୀ ।

ଗୋଷ୍ଠେନ୍ଦୁ ସହ ଚଳିଲେ ଦେହଳୀକି ।

ଯିବି ମୁଁ କେଳି ତଳପ ତୋଳି ହେ । ସ୍ୱାମିନୀ ।୩।

ଘର୍ମ ମିଶା ସିନ୍ଦୂର ଶ୍ରୀକର । ଘଞ୍ଚେ ଠାଁ ଠାଁ ହୋଇ ପଡ଼ିବାର ।

ଘୋଷିହେବି ଚିତ୍ତେ ଅଲକ୍ତ ଚିହ୍ନକୁ

ଚାହିଁ ଶେଯରେ ଶ୍ରୀପଦାବ୍‌ଜରେ ହେ । ସ୍ୱାମିନୀ ।୪।

ନିରେଖି ମୁଁ ଛିନ୍ନ ମୋତିହାର । ନେବି ଗୋଟିଆଇ ପଡ଼ିବାର ।

ନୂପୁର କାଞ୍ଚୀ କଞ୍ଚୂଲୀ ଝରୀ ଧରି

ହେବି ପୁର ପଥେ ଆଗୁସାର ହେ । ସ୍ୱାମିନୀ ।୫।

ଚାଲି ଆସୁଛି ଜଟିଳା ହେଟି । ଚଳ ସତ୍ୱର ବୋଲୁଁ କଖ୍‌ଖଟୀ ।

ଚଞ୍ଚଳେକ୍ଷଣୀ ଚଳୁ ମୁଁ ଚାଲି ଆଗେ

ଚାହୁଁଥିବି ପଛକୁ ପାଲଟି ହେ । ସ୍ୱାମିନୀ ।୬।

ଛ ଦଶ କଳା ଚନ୍ଦ୍ର ଲପନେ । ଛପି ପ୍ରବେଶୁଁ ବାସ ସଦନେ ।

ଛଦ ପ୍ରିୟଙ୍କର ଶ୍ରୀଅଙ୍ଗେ ବିଲୋକ

ମାଗି ଲୁଚାଇ ଦେବି ଯତନେ ହେ । ସ୍ୱାମିନୀ ।୭।

ଭାବାର୍ଥ- (୧-୭) କେଉଁ ଏକ ଗୋପୀ ରାଧାଙ୍କ ରୂପ, ଗୁଣ ବାରମ୍ବାର ସ୍ମରଣ କରି ବିଳାପ କରୁଛି । ପୁଣି ରାସେଶ୍ୱରୀ ରାଧାଙ୍କ ସେବା ଜନିତ ସୁଖକୁ ମନେ ପକାଉଛି । ଖଦ୍ୟୋତଜା (ସୂର୍ଯ୍ୟଙ୍କ କନ୍ୟା) ଯମୁନା ତଟ ନିକୁଞ୍ଜରେ ରାତି ଶେଷ ବେଳକୁ ପକ୍ଷୀ ରାବ ଦେଲା । ପ୍ରିୟ ପାଖରୁ ଖଞ୍ଜନାକ୍ଷୀ ଉଠି ଆସିଲେ । ହେ ସ୍ଵାମିନୀ ସେତେବେଳେ ଦ୍ଵାର ପାଖରେ ମୁଁ ଜଗିଥିବି । ଝରକା ପାଖରେ ରହି ସଖୀ ଗଳି ଚାହୁଁଥିବା ବେଳେ ଗୋଷ୍ଠେନ୍ଦୁ ସହ ଦ୍ଵାରବନ୍ଧ ନିକଟକୁ ଚଳିଗଲେ । ହେ ସ୍ଵାମିନୀ, ମୁଁ ସେତେବେଳେ କେଳି ତଳାପ ତୋଳି ଯିବି । ଝାଳ ମିଶା ସିନ୍ଦୂର, ଶ୍ରୀକର୍ପୂର ଠାଏଁ ଠାଏଁ ପଡ଼ିବାର ଦେଖିବି । ମନ ମଧ୍ୟରେ ଅଳତା ଚିହ୍ନକୁ ଘୋଷି ହେବି । ଶେଯ ଉପରେ ଶ୍ରୀପାଦପଦ୍ମକୁ ସର୍ବଦା ନିରେଖୁଥିବି । ହେ ସ୍ଵାମିନୀ, ତୁମ କଣ୍ଠରୁ ଛିଣ୍ଡିଥିବା ମୋତିହାର ଗୋଟାଇ ନେବି । ନୂପୁର, କାଞ୍ଚିକାଞ୍ଚଲା ଝରୀ ଧରି ତୁମ ଯିବା ପଥରେ ଆଗରେ ଆଗରେ ଯିବି । ତୁମେ ଚାଲିଲା ବେଳେ ମୁଁ ଚଞ୍ଚଳ ହୋଇ ତୁମ ସହିତ ଚାଲିବି, ମୁଁ ତୁମ ଆଗେ ଆଗେ ଗଲେ ପଛକୁ ବାରମ୍ବାର ଚାହୁଁଥିବି । ହେ ସ୍ଵାମିନୀ, ତୁମ ମୁଖରେ ଚନ୍ଦ୍ରର ଷୋଳକଳା ପୂରିଛି । ଛପି ଛପି ତୁମ ବାସ ଘରେ ପ୍ରବେଶ କଲେ ମିୟଙ୍କ ଶ୍ରୀଅଙ୍ଗ ଦେଖିବି ।

 

ଯାଇ ଶେଯେ ପହଡ଼ୁ ଭିତ୍ତିରେ । ଜମ୍ବୁ ନଦାଙ୍ଗୀ ଚିତ୍ରପଟରେ ।

ଜୀବନବନ୍ଧୁ ଛବିକି ଚାହୁଁ ଚାହୁଁ

ପୋଛିଦେବି ପଦ ପଣତରେ ହେ । ସ୍ୱାମିନୀ ।୮।

ଝୀନ ଉପରାଣ ପାହୁରାଇ । ଝସ ନୟନୀ ହେ ପହୁଡ଼ାଇ ।

ଝଳି ଅଳତା ରଞ୍ଜିତ ପଦ ଧରି

ଧୀରେ ଦେବି ଅଙ୍ଗୁଳି ଫୁଟାଇ ହେ। ସ୍ୱାମିନୀ ।୯।

ନିଃଶେଷରେ ନିଶି ହେଉ ହତ । ନିତ୍ୟକୃତ୍ୟର ବସ୍ତୁ ଯାବତ ।

ନିର୍ବାହ କରି ପୁଣି ଆସି ଭେଟୁ ମୁଁ

ଅପହୁଡ଼ ହୋଇ ଥିବନି ତୁ ହେ । ସ୍ୱାମିନୀ ।୧୦।

ଟାଣେ ଜଟିଳା ଡାକନ୍ତେ ଉଠି । ଟେକି ପଲକ ଦେଖି ବିମ୍ବୋଷ୍ଠୀ ।

ଟଳ ଟଳ ହୋଇ ଚାଲି ଯାଇ ପୀଠେ

ବସୁ ଦେବି ନୀର ଦାନ୍ତକାଠି ହେ ।୧୧।

ଠାକୁରାଣୀ ଦନ୍ତ ସମାର୍ଜନ । ଠିକେ ବଢ଼ୁ ବଢ଼ାଇବ ବନ ।

ଠବର୍ଣ୍ଣ ମୁଖ ସୁବର୍ଣ୍ଣାଙ୍ଗୀ ପ୍ରକ୍ଷାଳୁ

ପଛେ ଦେବି ପୋଛିବା ବସନ ହେ । ସ୍ୱାମିନୀ ।୧୨।

 

ଭାବାର୍ଥ- (୮-୧୨) ହେ ସ୍ଵାମିନୀ, ଶେଯରେ ତୁମେ ଯେତେବେଳେ ପହଡ଼ କରିବ, ସେତେବେଳେ ଜୀବନବନ୍ଧୁ ଛବିକି ଚାହୁଁ ଚାହୁଁ ପଣତକାନିରେ ତୁମ ପାଦକୁ ପୋଛି ଦେବି । ଝୀନ ଓଢ଼ଣି (ଉପରାଣ) ଘୋଡ଼େଇ ଦେବି । ହେ ମୀନନୟନି, ତୁମକୁ ପହୁଡ଼ାଇ ଦେବି । ତୁମ ଅଳତା ରଞ୍ଜିତ ପାଦ ଧରି ଧୀରେ ଧୀରେ ଅଙ୍ଗୁଳି ଫୁଟାଇ ଦେବି । ରାତି ଶେଷରେ ନିତ୍ୟକର୍ମ ପାଇଁ ଆବଶ୍ୟକ ବସ୍ତୁ ଯୋଗାଡ଼ କରି ମୁଁ ପୁଣି ତୁମ ପାଖକୁ ଆସିବି । ତୁମେ ଅପହୁଡ଼ ହୋଇଥିବ । ତୁମକୁ ଶେଯରୁ ଉଠାଇ ପ୍ରଥମେ ଦାନ୍ତକାଠି, ପାଣି ଦେବି । ହେ ସ୍ଵାମିନୀ, ତୁରନ୍ତ ଦନ୍ତ ମାର୍ଜନ କାର୍ଯ୍ୟ, ମୁଖ ପ୍ରକ୍ଷାଳନ ପରେ ଓ ସୁବର୍ଣ୍ଣ ଅଙ୍ଗ ଧୋଇବା ପରେ ମୁଁ ପୋଛିବା ବସନ ବଢ଼ାଇ ଦେବି-

 

ଡାକି ମଧ୍ୟା ବାହ୍ୟ କୃତ ସାରି । ଡାକୁ ମୋତେ ଆହା ଧୀରକରି ।

ଡାହାଣ ବାମ ପାଣି ପଦ ଧୋଇବି

ମୁଦ ଦେଇ ନିଉଡ଼ାଇ ବାରି ହେ । ସ୍ୱାମିନୀ ।୧୩।

ଢାଳୁଥିବେ ଡୋଳା ଉନ୍ମିଦ୍ରରୁ । ଢଳେକ୍ଷଣି ତୈଳ ସେବା କରୁ ।

ଢୋକିଲା ପରି ସୁଧା ଶୁଣି ମଣିବି

ବୋଲୁ ଆଣ ଯା ବାରି ରମ୍ଭୋରୁ ହେ । ସ୍ୱାମିନୀ ।୧୪।

ଅବ୍‌ଜ ଯୁକ୍ତ ସୁବାସିତ ନୀର । ଅଭିଷେକ କରୁ ମୁଁ ସତ୍ୱର ।

ଅତି ଯତ୍ନେ ଚୀନାଶୁଂକେ ଶ୍ରୀଲଳିତା

ମାଜି ପୋଛିବେ ଶ୍ରୀକଳେବର ହେ । ସ୍ୱାମିନୀ ।୧୫।

 

ତୁଲ୍ୟ ବାଲ୍ୟାରୁଣ ଦ୍ୟୁତି ଲଙ୍ଗି । ତନୁବାରି ହୋଇ ଆଡ଼େ ଲାଗି ।

ତତ୍କାଳ କଜ୍ୱଳ କାନ୍ତି ଚୀନ ଚେଳ

ପିନ୍ଧି ଚଳିବ କଳଧୌତାଙ୍ଗୀ ହେ । ସ୍ୱାମିନୀ ୧୬।

ଥିର ହୋଇ ବସୁ ଆସନରେ । ଥାଇ ଲଳିତା ପଛ କତିରେ ।

ଥୋଇ ଟଙ୍କାରି କଙ୍କତିକା କୁନ୍ତଳ

ଫେଡ଼ୁ ବେଢ଼ିବେ ଅଳି ନିକର ହେ । ସ୍ୱାମିନୀ ।୧୭।

ଦେବି ଘଉଡ଼ି ଢାଳି ଚାମର । ଦିବ୍ୟମଣି ସ୍ତବକ ନିକର ।

ଦେଇ ଶ୍ୟାମଳ ବେଣୀ ବ୍ୟାଳ ସାଜିବେ

ହରିବାକୁ ଧୈର୍ଯ୍ୟ ବ୍ରଜେନ୍ଦ୍ରର ହେ । ସ୍ୱାମିନୀ ।୧୮।

ଧରିଥିବି ମୁଁ ଘୃସୃଣ ପାତ୍ରେ । ଧନ୍ୟ ବିଶାଖା ଲେପି ଶ୍ରୀଗାତ୍ରେ ।

ଧୀରେ ଭକ୍ତି ଛେଦ କର ମୃଗମଦ

ଚିତ୍ର ଲିହିବେ ଉରଜ ଗାତ୍ରେ ହେ । ସ୍ୱାମିନୀ ।୧୯।

ନିଟିଳରେ ସିନ୍ଦୂର ବିନ୍ଦୁକୁ । ନିଯୋଜୁ ଭାବୁଥିବ ମନକୁ ।

ନିକୁଞ୍ଜବିହାରୀ ନୟନର କାମ-

ତମ ନାଶିବ ବୋଲି କ୍ଷଣକୁ ହେ । ସ୍ୱାମିନୀ ।୨୦।

ଭାବାର୍ଥ- (୧୩-୨୦) ହେ ସ୍ଵାମିନୀ, ବାହ୍ୟ କୃତ ସାରି ଧୀର କରି ମୋତେ ଡାକିବ ! ତୁମ ହାତପାଦ ଧୋଇଦେବି । ଜଳରେ ମୁଦ ଦେଇ ନିଉଡ଼ାରେ ଦେବି । ରାତ୍ରିରେ ଅନିଦ୍ରା ରହିଥିବା ଯୋଗୁଁ ଢୁଳାଉଥିବ । ମୁଁ ତୁମର ତୈଳ ସେବା କରିବି । ହେ ସ୍ୱାମିନୀ, ପାଣି ଆଣବୋଲି କହିଲେ, ତାକୁ ଶୁଣି ଅମୃତ ଢୋକିଲା ପରି ମନେ କରିବି । ପଦ୍ମଯୁକ୍ତ ସୁବାସିତ ଜଳରେ ମୁଁ ତୁରନ୍ତ ଅଭିଷେକ କରିବି । ଅତି ଯତ୍ନରେ କାଇଁଚରେ ଶ୍ରୀଲଳିତା ତୁମର ଶ୍ରୀଅଙ୍ଗ ମାଜି ପୋଛିବେ । ବାଲ୍ୟରୁଣ ତୁଲ୍ୟ ଶ୍ରୀଅଙ୍ଗର ତେଜ ତୁମର । କଜ୍ଜଳ କାନ୍ତିପୂର୍ଣ୍ଣ ବସନ ପିନ୍ଧି ତୁମେ ଚଳିବ । ହେ ସ୍ଵାମିନୀ, ଆସନରେ ସ୍ଥିର ହୋଇ ବସିଲେ, ତୁମ ପଛ ପାଖରେ ଲଳିତା ରହି ତୁମର କୁଞ୍ଚୁକୁଞ୍ଚିଆ (କୁନ୍ତଳ) କେଶକୁ ପାନିଆ (କଙ୍କତିକା)ରେ କୁଣ୍ଡାଇ ଦେବ । ସେ ସୁନ୍ଦର କେଶ ଚାରିପାଖରେ ଭ୍ରମରଗଣ ବେଢ଼ିଯିବେ ।

ହେ ସ୍ଵାମିନୀ, ଚାମର ଢାଳି, ଫୁଲରେ ସଜେଇ ବ୍ରଜେନ୍ଦ୍ରର ଧୈର୍ଯ୍ୟ ହରିବାକୁ ଶ୍ୟାମଳ ବେଣୀ-ସର୍ପ (ବ୍ୟାଳ) ସାଜିବ । ହେ ସ୍ଵାମିନୀ, ମୁଁ ଉତ୍ତମ ପାତ୍ରରେ କସ୍ତୁରୀ ଧରି ତୁମ ଶରୀରରେ ଲେପି ଦେବି । ତୁମ ବକ୍ଷୋଜ ଓ ଗାତ୍ରରେ ଚିତ୍ର ଲେଖିଦେବି । କପାଳରେ ସିନ୍ଦୂର ବିନ୍ଦୁକୁ ଲଗାଇ ମନରେ ଭାବୁଥିବ, ନିକୁଞ୍ଜବିହାରୀଙ୍କ ଚକ୍ଷୁ କାମ ରୂପକ ଅନ୍ଧକାରକୁ ବିନାଶ କରିବ ।

ପଦ୍ମପତ୍ରାଗ୍ରସ୍ଥିତ ଭ୍ରମର । ପରି ଦିଶିବ କେଡ଼େ ସୁନ୍ଦର ।

ପରମାନନ୍ଦ ସ୍ୱରୂପିଣୀ ଚିବୁକେ ।

ବିନ୍ଦୁ ନିଯୋଜୁ ମୃଗମଦର ହେ ସ୍ୱାମିନୀ ।୨୧।

ଫୁଲ ନର୍ମଦା ଆଣି ଦେବାର । ଫେଡ଼ି ପିନ୍ଧାଇ ଦେବି ସତ୍ୱର ।

ଫଳିଉଠିବ ମୋ ତନୁ ସୀମାନ୍ତରେ

ଲେଖୁ ଲଳିତା ସିନ୍ଦୂର ଗାର ହେ ସ୍ୱାମିନୀ ।୨୨।

ବ୍ରଜବଧୂ ସୁଖୀ ହେବା ପାଇଁ । ବକ୍ଷୋଜକୁ ରଖିବ ଲୁଚାଇ ।

ବିଚିତ୍ର କାଞ୍ଚୁଲୀ ନାନା ହାରାବଳି

ଦେବି ଯତନେ ଲାଗି କରାଇ ହେ । ସ୍ୱାମିନୀ ।୨୩।

ଭରସାଇବ ମୋତେ ସେବାରେ । ଭୟ ତେଜି ଅଞ୍ଜନ ନେତ୍ରରେ

ଭରମାଙ୍ଗି ଦେବି କରି ଦରଶନ

ବ୍ରଜବଧୂ ହେବେ ମୋ ପରି ହେ । ସ୍ୱାମିନୀ ।୨୪।

ମଣି ରତ୍ନାଳଙ୍କାର ଯାବତ । ମଥାଯାଏ ପଦରୁ ତ୍ୱରିତ ।

ମଣି କଉସ୍ତୁଭ ମିତ୍ର ସୁମନ୍ତକ

ମଣି କଲ୍ଲଦେବି ଅଳଂକୃତ ହେ । ସ୍ୱାମିନୀ ।୨୫।

ଯେଉଁ ଚରଣକଞ୍ଜର ଧୂଳି । ଯୁବାବର ହୋଇବାର ବୋଳି ।

ଯତ୍ନେ ଲେଖିଦେବି ଲାକ୍ଷା କି ସେ ପଦେ

ଯାର ରକ୍ତାମ୍ବୁଜ ନିଉଛାଳି ହେ । ସ୍ୱାମିନୀ ।୨୬।

ଋଣ ସହ ମଧୁବ୍ରତ ମେଳା । ମରଣୀୟ ବିଚକିଳମାଳା ।

ରମଣୀ ମୁକୁଟମଣି କଣ୍ଠେ ଦେବି

ଆନେ ନ ଢଳୁ ପ୍ରାଣେଶ ଡୋଳା ହେ । ସ୍ୱାମିନୀ ।୨୭।

ଲୀଳା କମଳ ଘେନି ଶ୍ରୀକରେ । ଲଳିତାଙ୍ଗୀ ଗୃହ ବାଟିକାରେ ।

ଲଳିତା ସଙ୍ଗେ ଦ୍ୟୁମଣିମଣି ବେଦି

ମଧ୍ୟେ ବିଜେ କରିବ ସତ୍ୱରେ ହେ । ସ୍ୱାମିନୀ ।୨୮।

 

ଭାବାର୍ଥ- (୨୧-୨୮) ହେ ସ୍ଵାମିନୀ, ପଦ୍ମପତ୍ରର ଅଗ୍ରଭାଗରେ ବସିଥିବା ଭ୍ରମର ପରି ତୁମେ କେଡ଼େ ସୁନ୍ଦର ଦେଖାଯିବ । ତୁମ ଚିଟୁକରେ କସ୍ତୁରୀ ବିନ୍ଦୁ ଲଗାଇବି । ଫୁଲ ଆଣି ତୁମ ମସ୍ତକରେ ଶୀଘ୍ର ପିନ୍ଧାଇ ଦେବି । ତୁମ ତନୁରେ ଲଳିତା ସିଦୂରଗାର ଲେଖି ଦେଉ । ତୁମେ ବ୍ରଜବଧୂ । ନିଜକୁ ସୁଖୀ କରିବା ପାଇଁ ଅର୍ଥାତ୍ ମର୍ଯ୍ୟାଦା ରଖିବା ପାଇଁ ବକ୍ଷୋଜକୁ ଲୁଚାଇ ରଖ । ବିଚିତ୍ର କାଞ୍ଚୁଲୀ, ନାନା ପ୍ରକାର ହାର ଆଣି ସେଥିରେ ମୁଁ ତୁମକୁ ଯତ୍ନର ସହ ସଜାଇ ଦେବି ।

 

ହେ ସ୍ଵାମିନୀ, ଭୟ ତେଜି ଅଞ୍ଜନ ନେତ୍ରରେ ତୁମର ସେବା କରିବି । ମୋ ପରି ବ୍ରଜବଧୂ ହୋଇପାରିବେ । ମଥାରୁ ପାଦଯାଏ ମଣି, ରତ୍ନାଳଙ୍କାର ପ୍ରଭୃତିରେ ମଣ୍ଡିଦେବି । କଉସ୍ତୁଭ ମଣିରେ ତୁମକୁ ଅଳଙ୍କୃତ କରିବି । ଯେଉଁ ପାଦର ଧୂଳି ଯୁବାଶ୍ରେଷ୍ଠ ବୋଳି ହୁଅନ୍ତି, ସେଇ ପାଦରେ ଯତ୍ନରେ ଲାକ୍ଷାର ଚିତ୍ର ଆଙ୍କି ଦେବିକି ? ହେ ସ୍ଵାମିନୀ, ତୁମେ ରମଣୀ ମୁକୁଟମଣି, ତୁମର କଣ୍ଠରେ ଫୁଲମାଳା ଲମ୍ବାଇ ଦେବି । ହେ ସ୍ଵାମିନୀ, ଶ୍ରୀହସ୍ତରେ ପଦ୍ମ ଧରି ଗୃହ ବାଟିକାରେ ଲଳିତା ସଙ୍ଗେ ରହି ମଧ୍ୟରେ ଶୀଘ୍ର ବିଜେ କରିବ ।

 

ବିକର୍ତ୍ତନ ଆରାଧନା ସାରି । ବାସେ ବାସ୍ତୁକୃତ୍ୟ କରି କରି ।

ବିଲୋକୁ କୁନ୍ଦଲତା ଆସି ଡାକିବେ

ଜଟିଳାଙ୍କୁ ସମାଧାନ କରି ହେ । ସ୍ୱାମିନୀ ।୨୯।

ସବୁ ସଖୀ ସଦନକୁ ଯାଇ । ସାଉକାର ଶାଶୂଙ୍କୁ କରାଇ ।

ସତ୍ୱର ସେ କୁନ୍ଦବଲ୍ଲୀ ତୁମ୍ଭ ପାଶେ

ଗୋଷ୍ଠୀ କରିବେ ଅଳୀଙ୍କି ନେଇ ହେ ।୩୦।

ସହୀ ଆସିବାକୁ ନାହିଁ ତର । ସବୁ କୃତ୍ୟ ଅଛି ସଦନର ।

ଶୁଣି ଜଟିଳା ବୋଲିବେ ଯାଅ ପୌର୍ଣ୍ଣମାସୀ

କହିଛନ୍ତି ବାରମ୍ବାର ହେ । ସ୍ୱାମିନୀ ।୩୧।

ସର୍ବ ସଖୀସଙ୍ଗେ ବିଜେକରୁ । ସୁଦୟାରେ ମୋତେ ଶିରେ ଠାରୁଁ ।

ସଂବ୍ୟାନ ପ୍ରାଣେଶ୍ୱରଙ୍କ ଧରିଯିବି

ରୂପମଞ୍ଜରୀଙ୍କ ଆଦେଶରୁ ହେ । ସ୍ୱାମିନୀ ।୩୨।

ହର୍ଷେ ମଣ୍ଡି ଯାଉ ରାଜପଥ । ହୋଇ ଭେଟ ଗୋଷ୍ଠେ ପ୍ରାଣନାଥ ।

ହସି ଚାହିଁଥିବେ ସେ ବ୍ରଜେଶ୍ୱରୀଙ୍କି

ପ୍ରାଣମିତ ହୋଇ ହେଟମାଥ ହେ । ସ୍ୱାମିନୀ ।୩୩।

କ୍ଷମାକର ମୁଖକୁ ଅନାଇ । କ୍ଷୀରୋଦଧି ପ୍ରାଏ ରାଜ୍ଞୀ ହୋଇ ।

କ୍ଷଣେ କୋଳକରି ଶିରେ ଚୁମ୍ବ ଦେଉ

ଗୋପାଳକୃଷ୍ଣାଂଘ୍ରିଂ ଦେବ ଧୋଇ ହେ । ସ୍ୱାମିନୀ ।୩୪।

 

ଭାବାର୍ଥ- (୨୯-୩୪) ହେ ସ୍ଵାମିନୀ, ସୂର୍ଯ୍ୟ (ବିକର୍ତ୍ତନ)ଙ୍କ ଆରାଧନା ସାରିବା ପରେ ଘରେ କାମଦାମ କରି କରି କୁନ୍ଦଲତା ଆସି ଡାକିବେ । ଜଟିଳକୁ ସମାଧାନ କରିବେ । ସମସ୍ତ ସଖୀ ଘରକୁ ଯାଇ ତୁମ ଶାଶୂଙ୍କୁ ରାଜି କରାଇବେ । ଶୀଘ୍ର ସେ ଜାଈଫୁଲ ଲତା ତୁମ ପାଖରେ ଏକାଠି କରିବେ । ଆସିବାକୁ ତର ନାହିଁ । ସବୁ କାମ ଘରେ ପଡ଼ିରହିଛି । ଏହା ଶୁଣି କହିବେ, ପୌର୍ଣ୍ଣମାସୀ ଯାଅ, ବାରମ୍ବାର କହିଛନ୍ତି । ହେ ସ୍ୱାମିନୀ, ସବୁ ସଖୀକୁ ନେଇ ବିଜେ କରିବ । ମୋତେ ସୁଦୟା କରିବ । ରୂପମଞ୍ଜରୀଙ୍କ ଆଦେଶକୁ ପାଳନ କରି ପ୍ରାଣେଶ୍ଵରଙ୍କ ସଂବ୍ୟାନ (ବସ୍ତ୍ର) ଧରିଯିବି । ହେ ସ୍ୱାମିନୀ, ହର୍ଷ ମନରେ ପଥରେ ଗଲା ବେଳେ ଗୋଷ୍ଠରେ ପ୍ରାଣନାଥଙ୍କ ସହ ଭେଟ ହେବ । ସେ ବ୍ରଜେଶ୍ୱରୀଙ୍କୁ ହସି ଚାହିଁଥିବେ । ହେ ସ୍ଵାମିନୀ, ମୋ ମୁଖକୁ ଚାହିଁ କ୍ଷପା (ରାତ୍ରି) କର, କ୍ଷୀର ସମୁଦ୍ର ପ୍ରାୟ ରାଣୀ ହୋଇ କ୍ଷଣେ କୋଳକରି ମୁଖରେ ଚୁମ୍ବନ ଦେବ । ଗୋପାଳକୃଷ୍ଣର ସବୁ ଦୁଃଖ ଧୋଇ ହୋଇଯିବ ।

Image